ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଭବିଷ୍ୟତ ପରିଚାଳନା ଓ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଷ୍ପତ୍ତି ପାଇଁ ଆଜି ବସିଛି ଶ୍ରୀମନ୍ଦିର ପରିଚାଳନା କମିଟିର ବହୁ ପ୍ରତୀକ୍ଷିତ ବୈଠକ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ସଦର ସଭାଗୃହ କାର୍ଯ୍ୟାଳୟରେ ବୈଠକ ଆରମ୍ଭ ହୋଇଥିବାବେଳେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି।
ଏଥର ବୈଠକରେ ମୋଟ ୭ଟି ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା ହେବ। ସବୁଠାରୁ ଅଧିକ ନଜର ରହିଛି ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପରିଚାଳନା ଅଧିନିୟମ–୨୦୨୬ ଓ ରତ୍ନ ଭଣ୍ଡାର ଗଣତି-ମଣତି ସମ୍ପର୍କିତ ଅବଗତି ଉପରେ। ଏହି ଦୁଇ ପ୍ରସଙ୍ଗ ଶ୍ରୀମନ୍ଦିର ପରିଚାଳନାରେ ଆଗାମୀ ଦିନରେ ଗୁରୁତ୍ୱ ବହନ କରିବ ବୋଲି ଚର୍ଚ୍ଚା ହେଉଛି।
ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷର ଚୂଡ଼ାନ୍ତ ଅଡିଟ୍ ରିପୋର୍ଟ ଉପସ୍ଥାପନ ଓ ଅନୁମୋଦନ କରାଯିବ। ଏହାସହ ୧୮ ମାର୍ଚ୍ଚ ଓ ୬ ଜୁଲାଇରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ତତ୍ତ୍ୱ ଗବେଷଣା, ପ୍ରକାଶନ ଓ ପ୍ରସାର ସବ୍-କମିଟି ବୈଠକର କାର୍ଯ୍ୟବିବରଣୀକୁ ମଧ୍ୟ ଦୃଢ଼ୀକରଣ କରାଯିବ।





