ଝାରସୁଗୁଡ଼ା: ରାତିରେ ଚୋରି, ପରଦିନ ତଦନ୍ତ, ୧୦ ଦିନରେ ଚାର୍ଜସିଟ୍ ଏବଂ ମାତ୍ର ୧୭ ଦିନରେ ଦୋଷୀକୁ ଜେଲ୍। ଝାରସୁଗୁଡ଼ା ପୋଲିସ ଏକ ରାତ୍ରିକାଳୀନ ଚୋରି ମାମଲାରେ ଦ୍ରୁତ ତଦନ୍ତ ଓ ସଫଳ ପ୍ରସିକ୍ୟୁସନ ମାଧ୍ୟମରେ ଏକ ନୂଆ ମାନଦଣ୍ଡ ସୃଷ୍ଟି କରିଛି।
ସେପ୍ଟେମ୍ବର ୯ ତାରିଖରେ ରେଙ୍ଗାଲି ଥାନା ଅଧୀନ କଟରବଗା ସ୍କୁଲ ନିକଟ ଏନଏଚ୍–୪୯ ପାର୍ଶ୍ୱରେ ଥିବା ଏକ କମନ ସର୍ଭିସ ସେଣ୍ଟର (CSC) ରେ ବିଳମ୍ବିତ ରାତିରେ ଚୋରି ହୋଇଥିଲା। ଦୁର୍ବୃତ୍ତ ୪ଟି ସେକେଣ୍ଡ ହ୍ୟାଣ୍ଡ ମୋବାଇଲ ଓ ୨ ଯୋଡ଼ା ଇୟରବଡ୍ସ ନେଇ ଫେରାର ହୋଇଯାଇଥିଲା। ଏହାକୁ ନେଇ ବିଏନଏସ ଧାରା ୩୩୧(୪) ଓ ୩୦୫(ଏ) ଅନୁଯାୟୀ ମାମଲା ରୁଜୁ ହୋଇଥିଲା।
ତଦନ୍ତର ଦାୟିତ୍ୱ ନେଇଥିଲେ ସବ୍–ଇନ୍ସପେକ୍ଟର ସମରେନ୍ଦ୍ର ନାୟକ। ତାଙ୍କ ନେତୃତ୍ୱରେ ପୋଲିସ ୨୬ ବର୍ଷୀୟ ସନାତନ କିଶନଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ସୂଚନା ଆଧାରରେ ତାଙ୍କ ଘରୁ ୨ଟି ଚୋରି ହୋଇଥିବା ରେଡମି ମୋବାଇଲ, ଗୋଟିଏ ଯୋଡ଼ା ଇୟରବଡ୍ସ ଏବଂ ଚୋରିରେ ବ୍ୟବହୃତ ଲୁହା ରଡ୍ ଜବତ କରାଯାଇଥିଲା। ବିଶେଷ କଥା ହେଲା, ସମଗ୍ର ଜବତ ପ୍ରକ୍ରିୟାକୁ ଭିଡିଓଗ୍ରାଫି କରାଯାଇ ଡିଜିଟାଲ ପ୍ରମାଣ ଭାବେ ସଂରକ୍ଷିତ କରାଯାଇଥିଲା।

