ଭୁବନେଶ୍ୱର: ବର୍ଷ ବର୍ଷ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ବଡ଼ ପଦକ୍ଷେପ ନିଆଯିବାକୁ ଯାଉଛି। ଆସନ୍ତା ଅକ୍ଟୋବର ୧ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ଏହି ବୈଠକକୁ ଦୁଇ ରାଜ୍ୟ ମଧ୍ୟରେ ଜଳ ବଣ୍ଟନ ବିବାଦର ସମାଧାନ ପାଇଁ ନିର୍ଣ୍ଣାୟକ ପର୍ଯ୍ୟାୟ ଭାବେ ଦେଖାଯାଉଛି।
ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୋମବାର କହିଛନ୍ତି ଯେ, ପାରସ୍ପରିକ ବୁଝାମଣା ମାଧ୍ୟମରେ ମହାନଦୀ ବିବାଦର ସମାଧାନର ବାଟ ଧୀରେ ଧୀରେ ଖୋଲୁଛି। ଦୁଇ ରାଜ୍ୟ ମଧ୍ୟରେ ହୋଇଥିବା ପୂର୍ବ ବୈଠକଗୁଡ଼ିକର ବିବରଣୀ କେନ୍ଦ୍ରୀୟ ଜଳ ଆୟୋଗ (CWC) ପକ୍ଷରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଛି ଏବଂ ଟ୍ରିବ୍ୟୁନାଲ ସେଗୁଡ଼ିକୁ ରେକର୍ଡରେ ଗ୍ରହଣ କରିଛି।
ଏହି ବୈଠକ ପୂର୍ବରୁ ଗତ ସେପ୍ଟେମ୍ବର ୨୦ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇ ଭୁବନେଶ୍ୱର ଆସି ମୋହନ ମାଝୀଙ୍କ ସହ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ। ସେତେବେଳେ ସାଇ କହିଥିଲେ ଯେ, ମହାନଦୀକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବଡ଼ କୌଣସି ସମସ୍ୟା ନାହିଁ ଏବଂ ଆଲୋଚନା ମାଧ୍ୟମରେ ସମାଧାନ ସମ୍ଭବ। ଉଭୟ ପକ୍ଷ କେନ୍ଦ୍ରୀୟ ଜଳ ଆୟୋଗର ସୁପାରିସ ଦୁଇ ରାଜ୍ୟର ସ୍ୱାର୍ଥରେ ଥିଲେ ତାହାକୁ ଗ୍ରହଣ କରିବା ନେଇ ମଧ୍ୟ ସହମତି ପ୍ରକାଶ କରିଥିଲେ।





