ଭୁବନେଶ୍ୱର: ରାଜ୍ୟରେ ଖାଦ୍ୟ ଅପମିଶ୍ରଣ ବିରୋଧରେ ଆହୁରି କଡ଼ା ହୋଇଛନ୍ତି ଓଡ଼ିଶା ସରକାର। ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନଜରରେ ରଖି ନିୟମିତ ଯାଞ୍ଚ, ଖାଦ୍ୟ ନମୁନା ସଂଗ୍ରହ ଓ ଅପମିଶ୍ରଣକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜୋରଦାର କରାଯାଇଛି। ଗତ ଦୁଇ ବର୍ଷରେ ଖାଦ୍ୟ ନିରାପତ୍ତା ନିୟମ ଉଲ୍ଲଂଘନକାରୀଙ୍କଠାରୁ ପ୍ରାୟ ୯୫.୯୧ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଲିଖିତ ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି। ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ଖାଦ୍ୟର ମାନ ଯାଞ୍ଚ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ସହରାଞ୍ଚଳରେ ଲଗାତାର ଯାଞ୍ଚ ଓ ନମୁନା ପରୀକ୍ଷା କରାଯାଉଛି।
ଦୁଇ ବର୍ଷରେ ୩୯ ହଜାରରୁ ଅଧିକ ନମୁନା ସଂଗ୍ରହ
ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଗତ ଦୁଇ ବର୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୭,୩୯୨ଟି ଲିଗାଲ୍ ସାମ୍ପଲ୍ ଓ ୩୨,୪୯୮ଟି ସର୍ଭେଲାନ୍ସ ସାମ୍ପଲ୍ ସଂଗ୍ରହ କରାଯାଇଛି। ଅର୍ଥାତ୍ ଏହି ସମୟ ମଧ୍ୟରେ ମୋଟ ୩୯,୮୯୦ଟି ଖାଦ୍ୟ ନମୁନା ଯାଞ୍ଚ ପାଇଁ ସଂଗ୍ରହ ହୋଇଛି।
ଅପମିଶ୍ରିତ ଖାଦ୍ୟ ଚିହ୍ନଟ ହେବା ପରେ କେବଳ ଜରିମାନା ନୁହେଁ, ଆବଶ୍ୟକ ସ୍ଥଳେ ଅପମିଶ୍ରିତ ଖାଦ୍ୟକୁ ଜବତ କରି ନଷ୍ଟ କରାଯାଇଛି। ଏପର୍ଯ୍ୟନ୍ତ ପ୍ରାୟ ୪୨୭.୮୬ କ୍ୱିଣ୍ଟାଲ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଜବତ କରାଯାଇ ନଷ୍ଟ କରାଯାଇଛି।





