କଟକ: ଚିକିତ୍ସା ପାଇଁ ଆସିଥିଲେ, ହେଲେ ହସ୍ପିଟାଲରେ ଚାଲିଗଲା ଜୀବନ। କଟକ SCB ମେଡିକାଲର ମାନସିକ ରୋଗ ବିଭାଗରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉଠିଛି ଗୁରୁତର ଅଭିଯୋଗ। ସୁରକ୍ଷାକର୍ମୀ ଓ ଆଟେଣ୍…
କଟକ: ଚିକିତ୍ସା ପାଇଁ ଆସିଥିଲେ, ହେଲେ ହସ୍ପିଟାଲରେ ଚାଲିଗଲା ଜୀବନ। କଟକ SCB ମେଡିକାଲର ମାନସିକ ରୋଗ ବିଭାଗରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉଠିଛି ଗୁରୁତର ଅଭିଯୋଗ। ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟଙ୍କ ମାଡ଼ରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଏତଲା ଦିଆଯାଇଛି।
ଅଭିଯୋଗ ଅନୁଯାୟୀ, ଯାଜପୁର ରୋଡ ଅଞ୍ଚଳର ଶ୍ରୀକାନ୍ତ ଦାସ ମାନସିକ ରୋଗର ଚିକିତ୍ସା ପାଇଁ SCB ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତ ୨୮ ତାରିଖରେ ତାଙ୍କୁ ମାନସିକ ରୋଗ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତକାଲି ରାତିରେ ବିଭାଗର କିଛି ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟ ମିଶି ଶ୍ରୀକାନ୍ତଙ୍କୁ ମାଡ଼ ମାରିଥିଲେ। ବାହାରେ ଥିବା ପରିବାର ଲୋକେ ଏହା ଦେଖି ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେମାନଙ୍କ କଥା ଶୁଣାଯାଇନଥିବା ଅଭିଯୋଗ ହୋଇଛି।
କିଛି ସମୟ ପରେ ପରିବାର ଲୋକେ ଶ୍ରୀକାନ୍ତଙ୍କ ନିକଟକୁ ଯାଇ ତାଙ୍କର ମୃତ୍ୟୁ ହୋଇଥିବା ଜାଣିଥିଲେ। ମୃତଦେହର ବିଭିନ୍ନ ସ୍ଥାନରେ ମାଡ଼ର ଚିହ୍ନ ଥିବା ମଧ୍ୟ ପରିବାର ପକ୍ଷରୁ ଦାବି କରାଯାଇଛି। ଘଟଣାକୁ ନେଇ ମୃତକଙ୍କ ପରିବାର ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତଦେହର ବ୍ୟବଚ୍ଛେଦ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ଜଣାପଡ଼ିଛି।
ତେବେ ଶ୍ରୀକାନ୍ତଙ୍କ ମୃତ୍ୟୁ ପ୍ରକୃତରେ କେଉଁ ପରିସ୍ଥିତିରେ ହେଲା, ତାଙ୍କୁ ମାଡ଼ ମରାଯାଇଥିଲା କି ନାହିଁ ଏବଂ ଘଟଣାରେ କାହାର ଭୂମିକା ରହିଛି, ତାହା ପୁଲିସ ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହେବ। ଅନ୍ୟପକ୍ଷରେ, ଏହି ଅଭିଯୋଗ ନେଇ ଏପର୍ଯ୍ୟନ୍ତ SCB କର୍ତ୍ତୃପକ୍ଷ କିମ୍ବା ଅଭିଯୁକ୍ତ କର୍ମଚାରୀଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ। ସେମାନଙ୍କ ପ୍ରତିକ୍ରିୟା ମିଳିଲେ ଘଟଣାର ଅନ୍ୟ ପକ୍ଷ ମଧ୍ୟ ସ୍ପଷ୍ଟ ହେବ।