ଭୁବନେଶ୍ୱର : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆସିଛି ବଡ଼ ଅପଡେଟ୍। ଗୋଟିଏ ପଟେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କ…
ଭୁବନେଶ୍ୱର: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆସିଛି ବଡ଼ ଅପଡେଟ୍। ଗୋଟିଏ ପଟେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଥିବା ବେଳେ ଅନ୍ୟପଟେ ମାମଲାର ଅଭିଯୁକ୍ତ (ତତ୍କାଳୀନ ରୋଷେୟା) ମନ୍ମଥ କୁମ୍ଭଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ପୁଲିସ।
ସୂଚନା ଅନୁସାରେ, ବିଦ୍ୟାଭାରତୀ ପଣ୍ଡା ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ। ତାଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ରଦ୍ଦ କରିବା ସହ ମାମଲାର ବିଚାର ଚାଲିଥିବା ସମୟରେ ଗିରଫରୁ ସୁରକ୍ଷା ଦେବାକୁ ସେ ଆବେଦନ କରିଥିଲେ। ତେବେ ସୁପ୍ରିମକୋର୍ଟ ଆଜି ତାଙ୍କ ଆବେଦନ ଖାରଜ କରିଛନ୍ତି।
୨୦୨୧ ମସିହା ଜୁଲାଇରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ACF ଭାବେ କାର୍ଯ୍ୟରତ ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ ବାସଭବନରେ ଗୁରୁତର ଦଗ୍ଧ ହୋଇଥିଲେ। ପରେ କଟକରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।
ସୌମ୍ୟରଞ୍ଜନଙ୍କ ପରିବାର ତାଙ୍କ ମୃତ୍ୟୁକୁ ହତ୍ୟା ବୋଲି ଅଭିଯୋଗ କରିଥିଲେ। ଏହି ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁ ଆସିଥିଲା। ପରେ ରାଜ୍ୟ ସରକାର ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ।
ଏପଟେ ମାମଲାରେ ଅଭିଯୁକ୍ତ ମନ୍ମଥ କୁମ୍ଭଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ପୁଲିସ। ମାନ୍ୟବର SDJM, ପାରଳାଖେମୁଣ୍ଡିଙ୍କ ଅଦାଲତ ଜାରି କରିଥିବା Non-Bailable Warrant (NBW) ବଳରେ ପୁଲିସ ଆଜି ଭୋର ସମୟରେ ତାଙ୍କ ନିଜ ଗାଁରେ ଚଢ଼ାଉ କରି ମନ୍ମଥଙ୍କୁ ଧରିଥିଲା।
ପୁଲିସର ସୂଚନା ଅନୁସାରେ, ମନ୍ମଥଙ୍କ ବିରୋଧରେ IPCର ଧାରା ୩୦୨/୧୨୦-ବି ସମ୍ପର୍କିତ ମାମଲା ରହିଛି। ଗିରଫ ପରେ ତାଙ୍କୁ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପାଇଁ SDJM, ପାରଳାଖେମୁଣ୍ଡିଙ୍କ ଅଦାଲତରେ ହାଜର କରାଯାଉଛି।