ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଦୁର୍ବଳ ରହିଛି। ସେପ୍ଟେମ୍ବର ୩୦ରେ ମୌସୁମୀ ଋତୁ ଶେଷ ହେଉଥିବା ବେଳେ ଓଡ଼ିଶାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହ…
ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଦୁର୍ବଳ ରହିଛି। ସେପ୍ଟେମ୍ବର ୩୦ରେ ମୌସୁମୀ ଋତୁ ଶେଷ ହେଉଥିବା ବେଳେ ଓଡ଼ିଶାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେଉଛି। ପାଣିପାଗ ବିଶେଷଜ୍ଞଙ୍କ ମତରେ, ଅକ୍ଟୋବର ପ୍ରଥମ ସପ୍ତାହ ଶେଷ ସୁଦ୍ଧା କିମ୍ବା ଦ୍ୱିତୀୟ ସପ୍ତାହ ଆରମ୍ଭରୁ ରାଜ୍ୟରୁ ମୌସୁମୀ ବିଦାୟ ନେଇପାରେ।
ଅନ୍ୟପଟେ, ମୌସୁମି ଦୁର୍ବଳ ଥିଲେ ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ହାରାହାରି ୧.୧ ମି.ମି. ବର୍ଷା ରେକର୍ଡ ହୋଇଛି। କଟକ ଜିଲ୍ଲାର ବାଙ୍କୀ-ଡମପଡ଼ା ବ୍ଲକ୍ରେ ସର୍ବାଧିକ ୪୫ ମି.ମି. ବର୍ଷା ହୋଇଛି। ସେହିପରି ୧୨ଟି ବ୍ଲକ୍ରେ ୧୦ ମି.ମି.ରୁ ଅଧିକ ବର୍ଷା ରେକର୍ଡ ହୋଇଛି।
ଜିଲ୍ଲାସ୍ତରୀୟ ହାରାହାରି ବର୍ଷାକୁ ଦେଖିଲେ, କଟକରେ ୯.୫ ମି.ମି., ପୁରୀରେ ୬.୩ ମି.ମି., ଗଜପତିରେ ୪.୯ ମି.ମି., ଖୋର୍ଦ୍ଧାରେ ୨.୯ ମି.ମି., ଢେଙ୍କାନାଳରେ ୨.୫ ମି.ମି., କୋରାପୁଟରେ ୨.୪ ମି.ମି. ଏବଂ ମାଲକାନଗିରିରେ ୧.୯ ମି.ମି. ବର୍ଷା ହୋଇଛି।
ସେପ୍ଟେମ୍ବର ୧ରୁ ୨୯ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୩୧୬.୨ ମି.ମି. ବର୍ଷା ରେକର୍ଡ ହୋଇଛି। ଏହି ସମୟର ସ୍ୱାଭାବିକ ହାରାହାରି ବର୍ଷା ୨୩୩.୪ ମି.ମି. ତୁଳନାରେ ଏହା ୩୫.୫ ପ୍ରତିଶତ ଅଧିକ ବୋଲି ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏପଟେ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୧୪ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ର କିଛି ଅଞ୍ଚଳରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେଣୁ ମୌସୁମୀ ବିଦାୟ ପାଇଁ ପାଗ ଅନୁକୂଳ ହେଉଥିବା ବେଳେ ଆଗାମୀ ୨୪ ଘଣ୍ଟାରେ କିଛି ଅଞ୍ଚଳରେ ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ କରାଯାଇଛି।
ଟ୍ୟାଗ୍: #OdishaWeather #WeatherUpdate #OdishaRain #Monsoon #MonsoonWithdrawal #YellowWarning #RainAlert