ନୂଆଦିଲ୍ଲୀ: ଆରବ ସାଗରରେ ବଡ଼ ଧରଣର ଡ୍ରଗ୍ସ ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ତଟରକ୍ଷୀ ବାହିନୀ। ଗୁଜରାଟ ATS ସହ ମିଳିତ ଅପରେସନ୍ରେ ଏକ ଇରାନୀ ଜାହାଜରୁ ୫୨୬ କିଲୋଗ୍ରାମ୍ର ହେରୋଇନ…
ନୂଆଦିଲ୍ଲୀ: ଆରବ ସାଗରରେ ବଡ଼ ଧରଣର ଡ୍ରଗ୍ସ ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ତଟରକ୍ଷୀ ବାହିନୀ। ଗୁଜରାଟ ATS ସହ ମିଳିତ ଅପରେସନ୍ରେ ଏକ ଇରାନୀ ଜାହାଜରୁ ୫୨୬ କିଲୋଗ୍ରାମ୍ର ହେରୋଇନ୍ ଓ ମେଥାମ୍ଫେଟାମାଇନ୍ ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ୩ ହଜାର କୋଟି ଟଙ୍କାରୁ ଅଧିକ ବୋଲି ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି।
ତଟରକ୍ଷୀ ବାହିନୀ ଅନୁସାରେ, ଏହି ଅପରେସନ୍ ସମୁଦ୍ରପଥରେ ହେଉଥିବା ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରାଚାଲାଣ ବିରୋଧରେ ଏକ ବଡ଼ ସଫଳତା।ଏହି ଅପରେସନ୍ରେ ଜାହାଜରେ ଥିବା ୫ ଜଣ ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ ଅଟକ ରଖାଯାଇଛି। ସେପ୍ଟେମ୍ବର ୨୫ ତାରିଖରେ ଲାକ୍ଷାଦ୍ୱୀପର ପଶ୍ଚିମ ଦିଗରେ ଏହି ସନ୍ଦିଗ୍ଧ ଜାହାଜକୁ ଠାବ କରାଯାଇଥିଲା।
ଗୁଇନ୍ଦା ସୂଚନା ମିଳିବା ପରେ ଭାରତୀୟ ତଟରକ୍ଷୀ ବାହିନୀ ସମୁଦ୍ର ଓ ଆକାଶପଥରୁ ଜାହାଜର ଗତିବିଧି ଉପରେ ନଜର ରଖିଥିଲା। ପରେ ଏହାକୁ ପିଛା କରି ଲାକ୍ଷାଦ୍ୱୀପର ପଶ୍ଚିମରେ ଅଟକାଇ ତଲାସି କରାଯାଇଥିଲା। ତଲାସି ସମୟରେ ବିପୁଳ ପରିମାଣର ମେଥାମ୍ଫେଟାମାଇନ୍ ଓ ହେରୋଇନ୍ ମିଳିଥିଲା।
ଜବତ ନିଶାଦ୍ରବ୍ୟ, ଜାହାଜ ଓ ଏହାର କ୍ରୁ ସଦସ୍ୟଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ମୁମ୍ବାଇ ଅଣାଯାଇଛି। ସେଠାରେ ତଟରକ୍ଷୀ ବାହିନୀ, NCB, NIA, ଗୁଜରାଟ ATS ସମେତ ବିଭିନ୍ନ ଏଜେନ୍ସି ମିଳିତ ଭାବେ ତଦନ୍ତ ଓ ପଚରାଉଚରା କରୁଛନ୍ତି।
ଏତେ ବିପୁଳ ପରିମାଣର ଡ୍ରଗ୍ସ କେଉଁଠାରୁ ଆସିଥିଲା, ଏହାର ଗନ୍ତବ୍ୟସ୍ଥଳ କେଉଁଠି ଥିଲା ଏବଂ ଏହା ପଛରେ କେଉଁ ଅନ୍ତର୍ଜାତୀୟ ଡ୍ରଗ୍ସ ନେଟୱର୍କ ରହିଛି, ସେନେଇ ତଦନ୍ତ ଜାରି ରହିଛି।