ଭାରତୀୟ ଆକାଶରେ ନଜର ଆସିବ ଆମେରିକାର ଅତ୍ୟାଧୁନିକ ଷ୍ଟେଲ୍ଥ ଫାଇଟର ଜେଟ୍ F-35A Lightning II। ପ୍ରଥମଥର ପାଇଁ ଭାରତରେ ଆୟୋଜିତ ଏକ ବହୁରାଷ୍ଟ୍ରୀୟ ବାୟୁସେନା ଅଭ୍ୟାସରେ F-35A ସାମିଲ ହୋଇଛି। ରାଜସ୍ଥାନର ଯୋଧପୁର ଏୟାର ଫୋର୍ସ ଷ୍ଟେସନରେ ଚାଲିଥିବା Exercise Tarang Shakti 2026ରେ ଆମେରିକାର ଏହି ଯୁଦ୍ଧ ବିମାନ ଅଂଶଗ୍ରହଣ କରୁଛି।
ଭାରତରେ F-35Aର ଏହା ପ୍ରଥମ exercise participation ବୋଲି ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି। ଦୂତାବାସ ସୋସିଆଲ ମିଡିଆ ପୋଷ୍ଟରେ କହିଛି ଯେ, F-35Aର ଷ୍ଟେଲ୍ଥ କ୍ଷମତା, ଅତ୍ୟାଧୁନିକ ସେନ୍ସର ଏବଂ ତଥ୍ୟ ଆଦାନପ୍ରଦାନ ବ୍ୟବସ୍ଥା ଭାରତୀୟ ବାୟୁସେନା ସହ ତାଲିମ ଓ ସମନ୍ୱୟର ନୂଆ ସୁଯୋଗ ସୃଷ୍ଟି କରିବ।
‘Power in Partnership’ ଥିମ୍କୁ ନେଇ ଆୟୋଜିତ ଏହି ବାୟୁସେନା ଅଭ୍ୟାସ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୧୨ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାରତ ସହ ଆମେରିକା, ଅଷ୍ଟ୍ରେଲିଆ, ୟୁଏଇ, ଫ୍ରାନ୍ସ, ଜର୍ମାନୀ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଭଳି ଦେଶ ଅଂଶଗ୍ରହଣ କରୁଛନ୍ତି। କିଛି ଅନ୍ୟ ଦେଶ ଅବଜର୍ଭର ଭାବେ ମଧ୍ୟ ଯୋଗ ଦେଇଛନ୍ତି।





