ମାଲକାନଗିରି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ସରକାରୀ ଯନ୍ତ୍ରୀ। ମାଥିଲି ବ୍ଲକର Assistant Executive Engineer (AEE) ଶିଶିର କୁମାର ଦାଶଙ୍କୁ ମଙ୍ଗଳବାର ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ବର୍ତ୍ତମାନ ସେ ମାଲକାନଗିରି ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା (DRDA)ରେ ସଂଲଗ୍ନ ଥିଲେ।
ଭିଜିଲାନ୍ସ ପକ୍ଷରୁ ଶିଶିର ଦାଶଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ତାଙ୍କ ନାମରେ ଥିବା ବହୁ ମୂଲ୍ୟବାନ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଭିଜିଲାନ୍ସ ହାତରେ ଲାଗିଥିବା ଜଣାପଡ଼ିଛି।
ତଦନ୍ତ ବେଳେ ମୋଟ ପ୍ରାୟ ୯,୩୦୦ ବର୍ଗଫୁଟ୍ ବିଲ୍ଟ-ଅପ୍ ଅଞ୍ଚଳ ଥିବା ଦୁଇଟି ବହୁତଳ କୋଠା ଠାବ ହୋଇଛି। ଏହାସହ ବିଭିନ୍ନ ପ୍ରମୁଖ ସ୍ଥାନରେ ଥିବା ୬ଟି ମୂଲ୍ୟବାନ ଜମି ପ୍ଲଟ୍ର ସନ୍ଧାନ ମିଳିଛି। ତାଙ୍କ ବ୍ୟାଙ୍କ ଜମା ଓ ବିଭିନ୍ନ ନିବେଶ ମିଶାଇ ପ୍ରାୟ ୮୨ ଲକ୍ଷ ଟଙ୍କା ଥିବା ମଧ୍ୟ ଭିଜିଲାନ୍ସ ପକ୍ଷରୁ ଜଣାପଡ଼ିଛି। ଏହା ବ୍ୟତୀତ ଗୋଟିଏ ଚାରିଚକିଆ ଗାଡ଼ି ଓ ଅନ୍ୟାନ୍ୟ ଘରୋଇ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଠାବ ହୋଇଛି। ଏହି ସମ୍ପତ୍ତିଗୁଡ଼ିକର ଉତ୍ସ ସମ୍ପର୍କରେ ଶିଶିର ଦାଶ ସନ୍ତୋଷଜନକ ଭାବେ ହିସାବ ଦେଇପାରିନଥିବା ଭିଜିଲାନ୍ସ ଅଭିଯୋଗ କରିଛି।





